ସ୍ବଚ୍ଛତା ଅଭିଯାନ ସଂପର୍କରେ

ଗାଁ ପରିଷ୍କାର ପରିଛନ୍ନ ଅଛି କି ନାହିଁ ଗାଁ ମୁଣ୍ଡରେ ଥିବା ପୋଖରୀ କୂଳରୁ ହିଁ ଜଣାପଡ଼ିଯାଏ । ପରିବେଶ ଯେତେ ସ୍ବଚ୍ଛ ରହିବ ସେତେ ବିକାଶ ହେବ । ସ୍ବଚ୍ଛତା ମଧ୍ୟ ଆମ ପରମ୍ପରା ସହ ଯୋଡ଼ି ହୋଇ ରହିଛି । ଅଗ୍ନି ଉତ୍ସବ ସମୟରେ ଗାଁର ଝିଅମାନେ ଗାଁ ଦାଣ୍ଡରେ ଝାଡୁ ମାରିଥାନ୍ତି । ସେହିପରି କୁମାର ଉତ୍ସବରେ ବି ଝିଅମାନେ ଗାଁରେ ସଫେଇ କରନ୍ତି । ଆବହମାନ କାଳରୁ ସଂସ୍କୃତି ଓ ପରମ୍ପରା ସହ ସ୍ବଚ୍ଛତା ଯୋଡ଼ି ହୋଇ ରହିଛି । ସେହିସବୁ ଗୁଣ ପୁଣିଥରେ ଉଜାଗର କରିବା ଲାଗି ଓଡ଼ିଆ ପକ୍ଷରେ ସ୍ବଚ୍ଛତା ଅଭିଯାନ ରହିଛି । ଦେବାଳୟ, ପୋଖରୀ, ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଓ ଐତିହ୍ୟସ୍ଥଳରେ ସଫେଇ ଅଭିଯାନ କରାଯିବ ।

କିପରି ପାଳନ କରିବା

ନିଜ ଗାଁରେ ଥିବା ଦେବାଳୟ, ଗାଁ ପୋଖରୀକୁ ସଫା କରିବା । ଏହାଛଡ଼ା ଗାଁରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିସ୍ଥଳ କିମ୍ବା ସେମାନଙ୍କ ନାଁରେ ନିର୍ମିତ ପ୍ରମୋଦ ଉଦ୍ୟାନରେ ସଫେଇ କାର୍ଯ୍ୟ କରିବା । ଏସବୁ ସ୍ଥାନକୁ ଗାଁ ଲୋକ, ଯୁବବର୍ଗ, ମହିଳା ସଂଗଠନ ଏକାଠି ହୋଇ ସଫା କରିବା । ସେହିପରି ଆଖପାଖରେ ଥିବା ଐତିହ୍ୟସ୍ଥଳରେ ମଧ୍ୟ ସଫେଇ କାର୍ଯ୍ୟ କରିବା । ସଫେଇ ଅଭିଯାନର ଫଟୋ ଅପଲୋଡ ମଧ୍ୟ କରିପାରିବେ ।